ଆଇପିଏଲ ୧୩ /୫ : ଭାରତ-ପାକିସ୍ତାନ ସାମରିକ ଛକା ପଞ୍ଝା ଭିତରେ ସପ୍ତାହକ ପାଇଁ ସ୍ଥଗିତ ରହିଥିବା ଆଇପିଏଲ୍ ପୁନର୍ବାର ଚଳିତ ମେ ୧୭ ତାରିଖରୁ ଆରମ୍ଭ ହେବ। ଲିଗ୍ର ଅବଶିଷ୍ଟ ୧୭ ମ୍ୟାଚ୍ ମଧ୍ୟରୁ ୧୩ ଲିଗ୍ ମ୍ୟାଚ୍ ୬ଟି ସହର ଯଥା ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଓ ଅହମଦାବାଦରେ ଖେଳାଯିବ। ଦୁଇଟି ରବିବାରରେ ଦୁଇଟି ଯୁଗଳ ମୁକାବିଲା (ମେ ୧୮, ମେ ୨୫) ଆୟୋଜିତ ହେବ। ୧୭ ତାରିଖର ପ୍ରଥମ ମ୍ୟାଚ୍ରେ ବେଙ୍ଗାଲୁରୁଠାରେ ଆର୍ସିବି-କେକେଆର୍ ମୂହାଁମୁହିଁ ହେବେ। ଶେଷ ଲିଗ୍ ମ୍ୟାଚ୍ ୨୭ରେ ଖେଳାଯିବ।
ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଆର୍ସିବି ଭେଟାଭେଟି ହେବେ। କିନ୍ତୁ ୪ଟି ପ୍ଲେ ଅଫ୍ର ଭେନ୍ୟୁ ପରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ଲେ ଅଫ୍ ମଧ୍ୟରୁ ୨୯ରେ କ୍ଵାଲିଫାୟାର -୧, ୩୦ରେ ଏଲିମିନେଟର, ଜୁନ୍ ପହିଲାରେ କ୍ଵାଲିଫାୟାର -୨ ଏବଂ ଫାଇନାଲ୍ ଜୁନ୍ ୩ ତାରିଖରେ ଖେଳାଯିବ। ସୁରକ୍ଷା କାରଣରୁ ଗତ ୮ ତାରିଖରେ ଅଧାରୁ ବାତିଲ ହୋଇଯାଇଥିବା ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ପୁନର୍ବାର ମୂଳରୁ ୨୪ ତାରିଖରେ ଆୟୋଜିତ ହେବ। ଏହି ମ୍ୟାଚ୍ ଜୟପୁରରେ ଖେଳାଯିବ । ଦଳୀୟ ମାଲିକ ତଥା ଅନ୍ୟାନ୍ୟ ସ୍ଵତାଧିକାର ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ନୂଆ ସୂଚୀ ଘୋଷଣା କରାଯାଇଥିବା ବିସିସିଆଇ କହିଛି।