ଆମେରିକା ୧୬/୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଏଥର ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ କହିଛନ୍ତି ଯେ, ମୁଁ ଚାହୁଁନାହିଁ ଯେ ଆପଲ ଭାରତରେ ଆଇଫୋନ ଉତ୍ପାଦନ ପାଇଁ ଏକ ଫ୍ୟାକ୍ଟ୍ରି ସ୍ଥାପନ କରୁ । ପ୍ରକୃତରେ, ଆପଲ୍ ଭାରତରେ ବିଭିନ୍ନ ସ୍ଥାନରେ ଆଇଫୋନ୍ ଉତ୍ପାଦନ ପାଇଁ ଫ୍ୟାକ୍ଟ୍ରି ଖୋଲୁଛି ଯାହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଟ୍ରମ୍ପ ଟିମ୍ କୁକଙ୍କୁ କହିଥିଲେ ଯେ ଆମେ ଭାରତରେ ତୁମର ଉତ୍ପାଦନରେ ଆଗ୍ରହୀ ନୁହଁ, ଭାରତ ନିଜେ ନିଜ ବିଷୟରେ ଚିନ୍ତା କରିପାରିବ।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଟିମ୍ କୁକ୍ଙ୍କ ରଣନୀତିରେ ମୋର ଆପତ୍ତି ରହିଛି । ଭାରତରେ ଏତେ ଅଧିକ ପ୍ଲାଣ୍ଟ କରିବାର ଆବଶ୍ୟକତା କ’ଣ ? ଏକ ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।
ଟ୍ରମ୍ପ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ । କିନ୍ତୁ ସେଠାରେ ଆମ ଉତ୍ପାଦନ ବିକ୍ରି କରିବା ସବୁଠୁ କଠିନ । ଆମେରିକୀୟ ଉତ୍ପାଦ ଉପରୁ ଟାରିଫ୍ ହ୍ରାସ କରିବ ବୋଲି ଭାରତ କହିଛି । କିନ୍ତୁ ଏଥିପାଇଁ ସେ ଟ୍ରେଡ୍ ଡିଲ୍ କରିବାକୁ ଚାହୁଁଛି । ଏହାସହ ନିଜ ଉତ୍ପାଦନ ଉପରେ ବି ଏଗ୍ରିମେଣ୍ଟ ଚାହୁଁଛି ।ଉତ୍ପାଦନ ବୃଦ୍ଧି କରିବା ପାଇଁ, ଆପଲ୍ ୫୦୦ ବିଲିୟନ ଡଲାର ନିବେଶ କରି ଉତ୍ପାଦନ ବୃଦ୍ଧି କରିପାରିବ । ଆମେରିକାରେ ବିପୁଳ ନିବେଶ ସହିତ, ଆମେରିକାରେ ରହୁଥିବା ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ କେବଳ ଆପଲ୍ ନୁହେଁ ବରଂ ଅନ୍ୟ ବଡ଼ ବ୍ରାଣ୍ଡ ମଧ୍ୟ ଆମେରିକାରେ ନିବେଶ କରନ୍ତୁ। ନିବେଶ ସହିତ ଆମେରିକାରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଟ୍ରମ୍ପ ।