ଭୁବନେଶ୍ୱର ୨୧/୫ : ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଆଜି ଯୁକ୍ତ ଦୁଇ ପରୀକ୍ଷା- ୨0୨୫ ଫଳାଫଳ ଘୋଷଣା କରିଛି, ଯାହା ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ସମସ୍ତ ଷ୍ଟ୍ରିମର ପାସ ହାର ୮୨.୭୭ ରହିଛି।ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଭୁବନେଶ୍ୱର ସ୍ଥିତ CHSE ମୁଖ୍ୟାଳୟରେ ବିଭାଗ ସଚିବ ଶାଳିନୀ ପଣ୍ଡିତ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରସାନ୍ତ କୁମାର ପରିଡାଙ୍କ ସମେତ ଅଧିକାରୀଙ୍କ ଉପସ୍ଥିତିରେ CHSE ଓଡ଼ିଶା +2 ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।ଅପରାହ୍ନ ୪ଟା ୨୦ରେ ପ୍ରକାଶ ପାଇଲା ରେଜଲ୍ଟ । ଏକସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଲା। ଏଥିସହିତ ଧନ୍ଦାମୂଳକ ପରୀକ୍ଷା ରେଜଲଟ ମଧ୍ୟ ପ୍ରକାଶ ପାଇଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି । କଳାରେ ୮୦.୫୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୮୩.୨ ପ୍ରତିଶତ ଏବଂ ଧନ୍ଦାମୂଳକରେ ୬୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି ।
ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏଥିରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୪, ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮୮ ପ୍ରତିଶତ ରହିଛି ।ଭୁବନେଶ୍ବର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଲା । ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ www.chseodisha.nic.in ଏବଂ orissaresults.nic.in ଓ୍ୱେବସାଇଟରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ ।ଏହା ସହ ପରୀକ୍ଷା ଫଳ ଘୋଷଣାର ଏକଘଣ୍ଟା ପରେ SAMS e-spaceରୁ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ସେମାନଙ୍କ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇପାରିବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ମାର୍ଚ୍ଚ ୨୭ ଯାଏ ହୋଇଥିଲା । ଚଳିତ ବର୍ଷ ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ।