ସୋସିଆଲ ମିଡିଆରେ ଭବିଷ୍ୟତର ସୁନା ଦର ଖୁବ୍ ଭାଇରାଲ ହେଉଥିଲା। ଏଥିରେ ପ୍ରତି ୧୦ ଗ୍ରାମ ସୁନା ୫୦,୦୦୦ ଟଙ୍କାକୁ ଖସି ଆସିବ ବୋଲି ଆକଳନ କରାଯାଉଥିଲା। ହେଲେ ଏହାର ବିପରୀତ ଗତ ସପ୍ତାହରେ ସୁନା ଦର ରେକର୍ଡ ହାଇକୁ ପହଞ୍ଚି ଯାଇଛି। ଏବେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲ୍ଡମ୍ୟାନ ସାକ୍ସଙ୍କ ଏକ ରିପୋର୍ଟ ଆସିଛି, ଯେଉଁଥିରେ ସୁନା ଦର ପ୍ରତି ଆଉନ୍ସ ୪,୫୦୦ ଡଲାର ଅର୍ଥାତ ୧୦ ଗ୍ରାମ ପିଛା ୧,୩୬,୦୦୦ ଟଙ୍କାକୁ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ରିପୋର୍ଟ ଅନୁସାରେ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ସାଙ୍ଗକୁ ମାନ୍ଦାବସ୍ଥାର ଭୟ ଯୋଗୁ ୨୦୨୫ ମସିହା ଶେଷ ବେଳକୁ ସୁନା ପ୍ରତି ଆଉନ୍ସ ୪,୫୦୦ ଡଲାରକୁ ପହଞ୍ଚିବ। ଗୋଲ୍ଡମ୍ୟାନ ସାକ୍ସ ପୁଣିଥରେ ସୁନାର ଟାର୍ଗେଟ୍ ପ୍ରାଇସ୍ ବଢାଇଛନ୍ତି। ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଅନୁସାରେ ଚଳିତବର୍ଷ ପାଇଁ ସୁନାର ଟାର୍ଗେଟ ଦର ପ୍ରତି ଆଉନ୍ସ ୩,୭୦୦ ଡଲାର ରହିଛି। ଏହି ଟାର୍ଗେଟ୍ ପ୍ରାଇସ୍ କୁ ଗୋଲ୍ଡମ୍ୟାନ୍ ସାକ୍ସ ତୃତୀୟବାର ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ମାସ ଆରମ୍ଭରେ ସୁନାର ଟାର୍ଗେଟ୍ ପ୍ରାଇସ୍ ପ୍ରତି ଆଉନ୍ସ ୩,୩୦୦ ଡଲାର ସେଟ୍ କରାଯାଇଥିଲା।
ଆମେରିକା ରାଷ୍ଟ୍ରପତି ଚୀନ୍କୁ ନେଇ ଏବେ ବେଶ୍ ଆକ୍ରମକ ଲାଗୁଛନ୍ତି। ଏଣୁ ଦୁଇ ଦେଶଙ୍କ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବଜାରରେ ଏବେ ସୁନା ନିବେଶକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି। ଗତ ସପ୍ତାହରେ ଗୋଲ୍ଡ ଇଟିଏଫ ପ୍ରଥମ ଥର ଆଉନ୍ସ ପିଛା ୩,୨୦୦ ଡଲାର ସ୍ତରକୁ ପାର କରିଥିଲା। ବୈଶ୍ୱିକ ସ୍ତରରେ ବଢୁଥିବା ଉତ୍ତେଜନା କାରଣରୁ ଗୋଲ୍ଡ ଇଟିଏଫ ଦର ଆଉନ୍ସ ପିଛା ୩,୨୪୫.୬୯ ଡଲାର ସ୍ତରକୁ ପହଞ୍ଚି ଯାଇଥିଲା। ସୁନାର ଚାହିଦା ଏବେ ଫିଜିକାଲ ଓ ଏକ୍ସଚେଞ୍ଜରେ ଢେର ବଢି ଯାଇଛି।
ରବିବାର ସ୍ପଟ ଗୋଲ୍ଡ ୦.୪ ପ୍ରତିଶତ ହ୍ରାସ ସହ ଆଉନ୍ସ ପିଛା ୩,୨୨୩.୬୦ ଡଲାର ଦରରେ କାରବାର ହେଉଛି। ସେହିପରି ରୟଟର୍ସ ରିପୋର୍ଟ ଅନୁସାରେ ୟୁଏସ ଗୋଲ୍ଡ ଫ୍ୟୁଚର ୦.୧ ପ୍ରତିଶତ ହ୍ରାସ ସହିତ ଆଉନ୍ସ ପିଛା ଦର ୩,୨୪୦.୯୦ ଡଲାରରେ ଟ୍ରେଡ ହେଉଛି।