ଗଞ୍ଜାମ ୧୨/୦୪ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ କିନ୍ନର ଦଣ୍ଡନାଚୁଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଅର୍ଚ୍ଚିତା ବିଷୋୟୀ । ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍ ଚଳାଇଛି ।
ସୂଚନା ମୁତାବକ, ଗତକାଲି ଫାଶୀଗୁଡା ଗାଁରେ ଦଣ୍ଡନାଚ ଚାଲିଥିଲା । ଏଥିରେ କିନ୍ନର ଅର୍ଚ୍ଚିତା ବିଷୋୟୀ ଅଭିନୟ କରୁଥିଲେ । ସେ ଗତକାଲି ଖରାବେଳେ ଦଣ୍ଡନାଚରେ ଅଭିନୟ କରି ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । ସକାଳୁ କବାଟ ନ ଖୋଲିବାରୁ ଦଣ୍ଡନାଚ କମିଟିଙ୍କ ସନ୍ଦେହ ହୋଇଥିଲା । କମିଟି ସଦସ୍ୟ ଗ୍ରାମବାସୀଙ୍କୁ ଡାକି କବାଟ ଭାଙ୍ଗିବାରୁ କିନ୍ନର ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।
ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଦଣ୍ଡନାଚୁଆ ଜଣକ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।