ଭୁବନେଶ୍ୱର ୦୮ /୦୪ : ଭୁବନେଶ୍ୱର ସ୍ଥାନୀୟ ସପ୍ତମ ବାଟାଲିୟନ୍ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା ସୋମବାର ଉଦ୍ଘାଟିତ ହୋଇଛି। ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ଭବ୍ୟ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସମସ୍ତ ପ୍ରତିଯୋଗୀ ଓ ପରିଚାଳକଙ୍କୁ ଖେଳୁଆଡ ମନୋଭାବ ନେଇ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ପୁଲିସକୁ ଦ୍ବିତୀୟ ଥର ପାଇଁ ଆୟୋଜନର ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସର୍ବଭାରତୀୟ ପୁଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡକୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଦିବସରେ ୩ ମ୍ୟାଚ୍ ଖେଳାଯାଇଥିଲା। ବିଏସ୍ଏଫ ୯-୨ରେ ତେଲେଙ୍ଗାନାକୁ, ଆଇଟିବିପି ୯-୧ରେ ଉତ୍ତରାଖଣ୍ଡ୍କୁ, ଝାଡ଼ଖଣ୍ଡ ୪-୧ରେ ଛତିଶଗଡ଼କୁ ପରାସ୍ତ କରିଛି। ରାଜ୍ୟ କାରାଗାର ଓ ସଂସ୍କାରକ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ରାୟ, ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗ ଆରକ୍ଷୀ ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡଙ୍ଗୀ ଏବଂ ପରିବହନ ଆୟୋଜ ଅମିତାଭ ଠାକୁର ପ୍ରମୁଖ ଅତିଥି ଥିଲେ।