ପୁରୀରେ ଜମୁଛି ସାହିଯାତ । ଶ୍ରୀରାମଙ୍କ ବନବାସ ଯାତ୍ରାର କଥାବସ୍ତୁ ସାହିଯାତରେ ଦେଖିବାକୁ ମିଳିଥିଲା । ମାର୍କଣ୍ଡେଶ୍ବର ସାହିର ଭଗବତୀକୋଟ ଆଖଡ଼ା ପକ୍ଷରୁ ସାହିଯାତ ବାହାରି ସାହି ପରିକ୍ରମା କରିଥିଲା । ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ବନବାସ ଲୀଳା ଅନୁଷ୍ଠିତ ହୋଇଥିଲା । ମାର୍କଣ୍ଡେଶ୍ବର ସାହିର ରାହସ ମହାନ୍ତି ଯାଗା, ଭଟ୍ଟଯାଗା, ଝାଟି ଯାଗା, ସାତବଖରା ଯାଗା, ଗଦାସାହାଣ ବଡ଼ପୋଖରୀ ଯାଗା, ପାଣ୍ଡଯାଗା, ଦୁଆରିଯାଗା, ବଡ଼ୁମହାପାତ୍ର ଯାଗାରୁ ଯାତ ବାହାରିବାର ପରମ୍ପରା ରହିଛି । ପରମ୍ପରା ମୁତାବକ ପଟୁଆର ଦଳ ଏହି ନିର୍ଦ୍ଧିଷ୍ଟ ଦିନ ମର୍ୟ୍ୟାଦାପୁରୁଷଙ୍କ ବନବାସ ଯୋଗୁଁ ଦୁଃଖରେ ନିରବ ଶୋଭାଯାତ୍ରା କରନ୍ତି । ତେବେ ଯାତକୁ ଆକର୍ଷଣୀୟ କରିବା ପାଇଁ ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ମେଢ଼ ବାହାରିଥିଲେ । ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ, ଦୁର୍ଗାମେଢ଼, କାଳୀମେଢ଼ ଓ ନାଗା ବାହାରିଥିଲା । ନାଗା ନୃତ୍ୟ ବେଶ ଆକର୍ଷଣ ସାଜିଥିଲା । କିଛି କୁନି ପିଲାଙ୍କୁ ନାଗା ବେଶରେ ଦେଖିବାକୁ ମିଳିଥିଲା ।