କନ୍ଧମାଳ ୧୨/୦୪ : ହରି ବୋଲ ହୁଳହୁଳିରେ ଫାଟି ପଡ଼ୁଛି ସାରା ସହର । ଧୁମଧାମରେ ପାଳିତ ହୋଇଛି ମା ରୁଦ୍ର କାଳୀଙ୍କ ଅଷ୍ଟଦଣ୍ଡ ମିଳନ । ବର୍ଷ ବର୍ଷ ଧରି ମା’ଙ୍କ ଦଣ୍ଡ ମିଳନ ଉତ୍ସବ ରାଇକିଆରେ ପାଳିତ ହେଉଛି । ପ୍ରତ୍ୟକ ବର୍ଷ ଦଣ୍ଡ ଆରମ୍ଭ ପରେ ଏହି ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ କରାଯାଇଥାଏ । ଆଠଟି ଦଣ୍ଡର ମିଳନକୁ ଅଷ୍ଟଦଣ୍ଡ ମିଳନ କୁହାଯାଏ । ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ବହୁ ଆଡ଼ମ୍ବରେ ପାଳନ କରାଯାଇଛି ଅଷ୍ଟଦଣ୍ଡ ମିଳନ ।
କନ୍ଧମାଳ ଜିଲ୍ଲା ରାଇକିଆରେ ଚଳିତ ବର୍ଷ ପଞ୍ଚ ଦଣ୍ଡ କମିଟି ପକ୍ଷରୁ ୨୬ତମ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟଦଣ୍ଡ ମିଳନ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅଷ୍ଟ ଦଣ୍ଡ ମିଳନ ଅବସରରେ ରାଇକିଆ , ମାଲେରିମାହା, ବୁର୍ବିନାଜୁ, ବାଗାରାମା, କରଣ୍ଡାଗଡ଼, ତେଜାମାହା, ସିର୍କାକୁଟି, ଗ୍ରୀନବାଡି ଆଠଟି ଥଳ ସାମିଲ ହୋଇଥିଲେ । ରାଇକିଆ ଦୁର୍ଗା ମଣ୍ଡପ ସମ୍ମୁଖରେ ସମସ୍ତ ଆଠଟି ଦଣ୍ଡ ଥଳକୁ ପୂଜାର୍ଚ୍ଚନା କରି ଗୋଟିଏ ପରେ ଗୋଟିଏ ଦଣ୍ଡକୁ ବରଣ କରାଯାଇଥିଲା । ଦିନ ୧୨ଟାରେ ଧୂଳି ଦଣ୍ଡ ଆରମ୍ଭ ହୋଇଥିଲା । ଅପରାହ୍ନ ୫ଟାରେ ପାଣିଦଣ୍ଡ ହୋଇଥିଲା । ସନ୍ଧ୍ୟା ୬ଟାରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ରାତି ୧୨ଟାରେ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା ।
ଅଷ୍ଟ ଦଣ୍ଡ ମିଳନ ବେଳେ ଢୋଲ , ମହୁରୀ , ଝୁଣା ଖେଳ ସାଙ୍ଗକୁ ପାଟ ଗୁପ୍ତା ମିଳନ ହୋଇଥିଲା । ନାଚ ଅଧିକାରୀ ମିଳନ ସବୁଠାରୁ ଆକର୍ଷଣୀୟ ମିଳନ ହୋଇଥିଲା । ମା’ଙ୍କ ପ୍ରଭାକାଠି ମିଳନ ଦେଖି ଭାବ ବିହ୍ବଳ ହେବା ସହ ନିଜକୁ ଧନ୍ୟ ମନେ କରିଥିଲେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ।
ବର୍ଷକୁ ଥରଟେ ମା’ଙ୍କ ଦର୍ଶନ ପାଇଁ ଜଗି ରହିଥାନ୍ତି ଭକ୍ତମାନେ । ମା’ଙ୍କର ଦୁର୍ଲ୍ଲଭ ଦର୍ଶନ ପାଇ ଖୁସିରେ ଆତ୍ମହରା ହୋଇପଡ଼ୁଛନ୍ତି । ଏହି ଯାତ୍ରା ବର୍ଷକୁ ଥରଟେ ଚଇତ୍ର ମାସରେ ପଡ଼େ । ଏହି ଯାତ୍ରାରେ ମା’ଙ୍କୁ କିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଏନେଇ ପଞ୍ଚଦଣ୍ଡ କମିଟି ଏବଂ ସ୍ଥାନୀୟ ପ୍ରଶାସନର ବ୍ୟାପକ ସୁରକ୍ଷା କଡାକଡି କରିଛନ୍ତି ।