ଭୁବନେଶ୍ୱର ୦୯ /୦୪ : ରାଜଧାନୀରେ ଟ୍ରାଫିକ୍ ଜାମ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ ଲେନ୍ ଡ୍ରାଇଭ୍ ଲାଗୁ କରିବାକୁ ଯାଉଛି କମିସନରେଟ୍ ପୁଲିସ। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍ ଷ୍ଟପେଜ୍ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ କୋନ୍ ରଖାଯିବ। ଗାଡ଼ିଗୁଡ଼ିକ କୋନ୍ରେ ଦର୍ଶାଯାଇଥିବା ଲେନ୍ରେ ହିଁ ଯିବେ। ବାଇକ୍, କାର୍ କିମ୍ବା ଟ୍ରକ୍ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍ କରାଯାଇ ନାହିଁ।
ଯିଏ ଯେଉଁ ଲେନ୍ରେ ଥିବେ, ଟ୍ରାଫିକ୍ ଛକ ପୂର୍ବରୁ ସେହି ଲେନ୍ରେ ହିଁ ରହିବେ। ଏହି ସ୍ଥାନରେ କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିପାରିବ ନାହିଁ ବୋଲି ଟ୍ରାଫିକ୍ ଡିସିପି ତପନ ମହାନ୍ତି କହିଛନ୍ତି। କେହି ନିୟମ ଉଲ୍ଲଂଘନ କଲେ, ସେଠାରେ ଥିବା ଟ୍ରାଫିକ୍ ପୁଲିସ କାର୍ଯ୍ୟାନୁଷ୍ଠାନ ନେବେ। ମଙ୍ଗଳବାର ଅପରାହ୍ଣରେ ଜୟଦେବବିହାର ଓଭରବ୍ରିଜ୍ ନିକଟରେ ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କିଛିଦିନ ଲୋକଙ୍କୁ ସଚେତନ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ଛକରେ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଡିସିପି ଶ୍ରୀ ମହାନ୍ତି କହିଛନ୍ତି।