ଭୁବନେଶ୍ୱର ୧୭/୦୪ : ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତିନ ଗଡ଼କରୀ । କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ୪ ହଜାର କୋଟିର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଓଡ଼ିଶା ଆସୁଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଅପରାହ୍ନରେ ଭୁବନେଶ୍ୱର ଆସି ବରମୁଣ୍ଡା ପଡ଼ିଆରେ ରାଜ୍ୟ ପାଇଁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରିବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଦିନ ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦିନ ୧୧ଟାରେ କଟକ ଯାଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି ।
ଅପରାହ୍ନରେ ଗଡ଼କରୀ ଭୁବନେଶ୍ୱର ଫେରିବେ । ଦିନ ୨ଟା ବେଳକୁ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟା ବେଳକୁ ହୋଟେଲ ମେ ଫେୟାରରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ।
ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ୮୦୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ । ତାଳଚେରରୁ କାମାକ୍ଷନଗର ଯାଏ ହୋଇଥିବା ୪ ଲେନ୍ ରାସ୍ତା ପ୍ରକଳ୍ପକୁ ସେ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏନଏଚ ୧୪୯ ଓ ୫୩ରେ ତିଆରି ହୋଇଥିବା ଏହି ପ୍ରକଳ୍ପରେ ୭୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।