ଟିକରପଡ଼ା ୦୯ /୦୪ : ଅନୁଗୁଳରେ ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଚାରି ଚାରି ଥର ଅଣ୍ଡା ଦେବା ପରେ ଶହେରୁ ଅଧିକ ଶାବକ ବାହାରିଛନ୍ତି। ଚାରିବର୍ଷରେ ୧୩୦ଟି ଶାବକ ଜନ୍ମ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀରେ ଆସୁଥିବା ବନ୍ୟାରୁ ଘଡ଼ିଆଳ ଶାବକଙ୍କୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପଞ୍ଜୁରି ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ଚାରିବର୍ଷ ଭିତରେ ସାତକୋଶିଆ ଗଣ୍ଡରୁ ୧୦୫ ଶାବକ ଗାଏବ ହୋଇ ଯାଇଛନ୍ତି। ସୂଚନା ଅନୁଯାୟୀ, ସାତକୋଶିଆ ମହାନଦୀ ଗଣ୍ଡରେ ୧୯୭୫ ମସିହାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ବଂଶ ବୃଦ୍ଧି ପାଇଁ ନନ୍ଦନକାନନରୁ ମାଈ ଓ ଅଣ୍ଡିରା କୁମ୍ଭୀର ଅଣାଯାଇ ଛଡ଼ା ଯାଇଥିଲା।
ଚାରିବର୍ଷରେ ୧୩୦ଟି ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ୨୦୨୧ ମସିହାରେ ୨୮ଟି ଘଡ଼ିଆଳ ଶାବକ ବଳଦମରାଠାରେ ଜନ୍ମ ହୋଇଥିଲେ। ୨୦୨୨ ମସିହାରେ ୩୨ଟି ଶାବକ ହୋଇଥିବା ବେଳେ ୨୦୨୩ ମସିହାରେ ୩୫ ଏବଂ ୨୦୨୪ ମସିହାରେ ୩୫ଟି ଛୁଆ ଜନ୍ମ ହୋଇଥିଲେ। ଛୁଆ ଜନ୍ମ ହେବାର କିଛି ମାସ ପରେ ମହାନଦୀ ଗଣ୍ଡରେ ବନ୍ୟା ଆସିଲେ ଶାବକଗୁଡ଼ିକ ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣାପଡ଼ିଛି। କୁମ୍ଭୀର ଗଣନା ଅନୁଯାୟୀ, ମହାନଦୀ ଗଣ୍ଡରେ ୨୫ଟି ଘଡ଼ିଆଳ ଶାବକ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ୧୩୦ ଶାବକ ମଧ୍ୟରୁ ଅନ୍ୟ ସବୁ ଶାବକ କୁଆଡ଼େ ଗଲେ ତାହାର ଖବର ବନ ବିଭାଗ ପାଖରେ ନାହିଁ। ୨୦୨୪ ମସିହାରେ ବନ୍ୟାକୁ ଦୃଷ୍ଟିରେ ରଖି ବନ ବିଭାଗ ୧୨ଟି ଘଡ଼ିଆଳ ଛୁଆକୁ ଆଣି ପିଞ୍ଜରାରେ ରଖିଥିଲା। ଅନ୍ୟ ଛୁଆଗୁଡ଼ିକୁ ପିଞ୍ଜରାକୁ ଆଣିବାରେ ବିଭାଗ ବିଫଳ ହୋଇଥିଲା। ମହାନଦୀ ତଳିଆ ଅଞ୍ଚଳରେ କିଛି ଘଡ଼ିଆଳ ଶାବକଙ୍କର ମୃତଦେହ ଉଦ୍ଧାର ହୋଇଥିବା ନଜିର ରହିଛି। ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ଅଧାରୁ ଅଧିକ ଘଡ଼ିଆଳ ଶାବକ ଭାସି ଯାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ସାତକୋଶିଆ ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିନିକେଇରୁ ବାଲିପୁଟ ପର୍ଯ୍ୟନ୍ତ ୨୫ଟି ଘଡ଼ିଆଳ ଶାବକ ଥିବା ଗଣନାରୁ ଜଣାପଡ଼ିଛି। ୧୦୫ ଶାବକ ବନ୍ୟାରେ ଭାସିଗଲେ କି ମରିଗଲେ ସେ ନେଇ ବନ ବିଭାଗ ପାଖରେ ଖବର ନାହିଁ। ତଳିଆ ଅଞ୍ଚଳରେ ମଧ୍ୟ ବହୁବାର ଘଡ଼ିଆଳ ଶାବକ ଉଦ୍ଧାର ହୋଇଛି। ତେଣୁ ମହାନଦୀର ତଳିଆ ଅଞ୍ଚଳରେ ମଧ୍ୟ କିଛି ଶାବକ ରହୁଛନ୍ତି। ଘଡ଼ିଆଳ କୁମ୍ଭୀର ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସରେ ଅଣ୍ଡାଦାନ କରିଥାଏ। ଚଳିତବର୍ଷ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିନିକେଇରୁ ବାଲିପୁଟ ପ୍ରତ୍ୟେକ ଦିନ ଯାଉଥିବା ଲାଇସେନ୍ସପ୍ରାପ୍ତ ଦୁଇଟି ଡଙ୍ଗାକୁ ବନ୍ଦ କରାଯିବା ସହ ମହାନଦୀ ଗଣ୍ଡରେ ଚାରୋଟି ଚେନ୍ ଗେଟ୍ ଦିଆଯାଇଛି। ଫଳରେ କୁମ୍ଭୀର ନିରାପଦରେ ରହିବା ସହ କେହି ଯିବାଆସିବା କରିପାରିବେ ନାହିଁ ବୋଲି ସାତକୋଶିଆ ବନ ବିଭାଗ ପକ୍ଷରୁ କୁହାଯାଇଛି।